ପ୍ରାର୍ଥନା : ଆହେ ଦୟାମୟ ବିଶ୍ବବିହାରୀ

କବି - ଶିଶୁକବି ରାମକୃଷ୍ଣ ନନ୍ଦ
ଆହେ ଦୟାମୟ ବିଶ୍ଵବିହାରୀ, ଘେନ ଦୟାବହି ମୋର ଗୁହାରି ! |୧|
ଜଳ ସ୍ଥଳ ବନ ଗିରି ଆକାଶ, ତୁମ ଲୀଳା ସବୁଠାରେ ପ୍ରକାଶ |୨|

ତୁମେ ଶୁଭ ବୁଦ୍ଧି ପରା ଶିଖାଅ, ତୁମେ ଭଲ ବାଟ ପରା ଦେଖାଅ |୩|
ମୋର କାମକୁ କରାଅ ସରସ, ମୋର ମୁଖେ ଦିଅ ଚିର ହରଷ |୪|

ତୁମ ଚରଣରେ ମୋର ଭକତି, ଦିଅ ବିପଦେ ସାହସ ଶକତି |୫|
କୂଟ କପଟ ସ୍ଵଭାବ ଯାହାର, ତାଙ୍କୁ ଦୂରୁ ମୁଁ କରଇ ଜୁହାର |୬|

ମୋତେ ନ ମିଶାଅ ତାଙ୍କ ସାଥିରେ, ସଦା ରଖ ସାଧୁଜନ କତିରେ |୭|
ଦୟା ବିନୟ ହେଉ ମୋ ଭୂଷଣ, କାହା ମନେ ମୁଁ ନଦିଏ କଷଣ |୮|

ଦୁଃଖୀ ଅରକ୍ଷିତ ସେବା କାରଣେ, ବଳ ଦିଅ ମୋର କର ଚରଣେ |୯|
 ସତ କହିବାକୁ କିଆଁ ଡରିବି, ସତ କହି ପଛେ ମଲେ ମରିବି |୧୦|

ମୋତେ ଏତିକି ଶିଖାଅ ସାଇଁ ହେ, ମୋର ଧନଜନ ଲୋଡ଼ା ନାହିଁ ହେ |୧୧|
ତୁମେ ସବୁଠାରୁ ବଡ଼ ଠାକୁର, ସଦା ରହିବି ମୁଁ ତୁମ ପୟର |୧୨|

ଆହେ ଦୟାମୟ ବିଶ୍ଵ ବିହାରୀ, ଘେନ ଦୟା ବହି ମୋର ଗୁହାରି |
ଓଡ଼ିଆସାଥୀ

ହେ ପାଠକବନ୍ଧୁ, ଆମ ଏହି ୱେବସାଇଟଟିକୁ ଆସନ୍ତୁ ଓ ଆପଣମାନଙ୍କ ମନ ପସନ୍ଦର ଲେଖାଗୁଡିକୁ ପଢନ୍ତୁ, ମଜା ନିଅନ୍ତୁ, କିଛି ଶିଖନ୍ତୁ ଓ ନିଜ ସାଙ୍ଗ କିମ୍ବା ସମ୍ପର୍କୀୟମାନଙ୍କ ସହ ଶେୟାର କରନ୍ତୁ ।

Post a Comment

ଦୟାପୂର୍ବକ କୌଣସି SPAM LINK ଲେଖନ୍ତୁ ନାହିଁ ।

ପୂର୍ବବର୍ତ୍ତୀ ଲେଖା ପରବର୍ତ୍ତୀ ଲେଖା